
ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ‘ସି ଆଣ୍ଡ ସେଭନ୍ ଭିଲେଜସ୍’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ଉତ୍ସର୍ଗ ନ୍ୟୁଜ (ବ୍ୟୁରୋ) – ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ‘ ସି ଆଣ୍ଡ ସେଭନ୍ ଭିଲେଜେସ୍’ । ୨୦୨୩ ବର୍ଷ ପାଇଁ ସ୍ପେସାଲ କ୍ୟାଟେଗୋରୀ ମେନସନ ରେ ପୁରସ୍କାର ହାସଲ କରିଛି ‘ ସି ଆଣ୍ଡ ସେଭନ୍ ଭିଲେଜସ୍’ ।କାଦମ୍ବିନୀ ମିଡିଆ ପ୍ରଯୋଜିତ ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ପର୍ଯ୍ୟବସିତ । ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମାନ ଲାଭ କରିଥିବା ଏହି ଚଳଚ୍ଚିତ୍ରଟି ହିମାଂଶୁ ଖଟୁଆଙ୍କ ଗବେଷଣାର ଫଳଫଳ ।

ଏଥିରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି। ଏହାର ପ୍ରଯୋଜନା କରିଛନ୍ତି ଡ. ଇତି ସାମନ୍ତ । କାଦମ୍ବିନୀ ମିଡିଆ ବ୍ୟାନରରେ ଡ. ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ନିବେଦିତ ଏହି ଫିଲ୍ମ ଜଳବାୟୁ ପରିବର୍ତ୍ତନର ପ୍ରଭାବ କିଭଳି ସାତଭାୟାକୁ ପ୍ରଭାବିତ କରିଛି ସେ ସମ୍ପର୍କରେ ବାସ୍ତବ ଚିତ୍ର ପ୍ରଦର୍ଶନ କରିଛି ।ସୂଚନା ଥାଉ କି ଏକଦା ସାତୋଟି ଗାଁର ଏକ ମିଳିତ ଅଞ୍ଚଳ ଥିଲା ସାତଭାୟ । ଜଳବାୟୁ ପରିବର୍ତ୍ତନ ଯୋଗୁ ସେଥିମଧ୍ୟରୁ ପାଞ୍ଚଟି ଗାଁ ସମୁଦ୍ର ଭିତରେ ଲୀନ ହୋଇ ଯାଇଛି ।
