ଶ୍ରୀଲଙ୍କାର ୩୦ ଜଣିଆ ଦଳର ବିଶ୍ୱ ଐତିହାସିକ ସୂର୍ଯ୍ୟମନ୍ଦିର ଓ ଧଉଳି ଶାନ୍ତିସ୍ତୁପ ପରିଦର୍ଶନ

ଭୁବନେଶ୍ୱର /କୋଣାର୍କ : ଶ୍ରୀଲଙ୍କାର ୩୦ ଜଣିଆ ପ୍ରତିନିଧି ଦଳ ବୁଧବାର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀ କୋଣାର୍କ ସୂର୍ଯ୍ୟମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପହଂଚିବା ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶରତ କୁମାର ବେହେରା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପ – ନିର୍ଦ୍ଧେଶକ ସନ୍ତୋଷ କୁମାର ସେଠୀ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଉତ୍କଳ ସାମ୍ବାଦିକ ସଂଘ ଓ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ଶ୍ରୀଲଙ୍କା ପ୍ରତିନିଧି ମଣ୍ଡଳୀଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା। ସେମାନେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ମନ୍ଦିରର ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ କଳାକୃତି ବୁଲି ଦେଖିଥିଲେ।

ମନ୍ଦିରର ଐତିହ୍ୟ,ସ୍ଥାପତ୍ୟ, ଭାସ୍କର୍ଯ୍ୟ ଓ କଳାକୃତି ବିଶ୍ୱରେ ଅଦ୍ୱିତୀୟ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ପରେ ଏହି ପ୍ରତିନିଧି ମଣ୍ଡଳୀ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ପକ୍ଷରୁ ନିର୍ମିତ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସୂର୍ଯ୍ୟମନ୍ଦିର ସମ୍ପର୍କିତ ପ୍ରାମାଣିକ ଚିତ୍ର ଦେଖିବା ସହ ପଦ୍ମ ବିଭୂଷଣରେ ସମ୍ମାନୀତ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ୱାରା ସୂର୍ଯ୍ୟମନ୍ଦିର ସମ୍ପର୍କରେ ପ୍ରସ୍ତୁତ କାରୁକାର୍ଯ୍ୟ ସମ୍ପନ୍ନ ପଥର ମୂର୍ତ୍ତି ସମୂହ ବୁଲି ଦେଖିଥିଲେ। ଏହି ସମୟରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ ରଞ୍ଜନ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।କୋଣାର୍କ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ପରେ ପ୍ରତିନିଧି ଦଳ ଧଉଳି ଶାନ୍ତିସ୍ତୁପ ପରିଦର୍ଶନ କରିଥିବା ଜଣାପଡ଼ିଛି।

You might also like