ପୁଲିସର ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ

ଦଶପଲ୍ଲା : ଦିନକୁଦିନ ରାଜ୍ୟରେ ସାଇବର ଠକେଇ ମାମଲା ବଢ଼ିବାରେ ଲାଗିଛି। କେତେବେଳେ ଅଜଣା ଆପ ମାଧ୍ୟମରେ ତ ଆଉ କେତେବେଳେ ଓଟିପି ସେୟାରିଂ ଓ ଅଜଣା ଫୋନକଲ ମାଧ୍ୟମରେ। ଏମିତି ବିଭିନ୍ନ ପ୍ରକାରର ପନ୍ଥା ଆପଣାଇଛନ୍ତି ସାଇବର ଲୁଟେରା।ଏହି ପରିପ୍ରେକ୍ଷୀରେ ତୃଣମୂଳ ସ୍ତରରେ ସାଇବର ଠକେଇ ସମ୍ପର୍କରେ ସଚେତନତା କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଚଳିତ ମାସ ୧୮ ତାରିଖରୁ ଏହି ଅଭିଯାନ ଆରମ୍ଭ କରି ଏହା ଆସନ୍ତା ମାସ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଜଣାପଡ଼ିଥିବାବେଳେ ଏହି କ୍ରମରେ ସୋମବାର ଦିନ ଦଶପଲ୍ଲା ପୁଲିସ ଓ ନୟାଗଡ଼ ପୁଲିସର ମିଳିତ ଉଦ୍ୟମରେ ଦଶପଲ୍ଲା ଠାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଜନସାଧାରଣ ଓ ବୁଦ୍ଧିଜୀବୀଙ୍କୁ ନେଇ ସାଇବର ଅପରାଧ ଓ ଏହାର ନିରାକରଣ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦଶପଲ୍ଲା ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ, ଡିଏସପି ସୁକାନ୍ତ କୁମାର ପାତ୍ର, ଏନଏସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟଦର୍ଶିନୀ ଓ ପଂଚାୟତ ସମିତି ଅଧ୍ୟକ୍ଷା ସୁନନ୍ଦା ସାହୁ ଅତିଥି ଭାବେ ଯୋଗଦେଇଥିଲେ।ସାଇବର ସୁରକ୍ଷା ମାସ୍କଟକୁ ଉନ୍ମୋଚନ କରାଯାଇଥିଲା। ଅତିଥିମାନେ ନିଜ ବକ୍ତବ୍ୟରେ ସମାଜରେ ଦିନକୁଦିନ ସାଇବର ଜନିତ ଅପରାଧ ଦ୍ରୁତ ବେଗରେ ବୃଦ୍ଧି ପାଇ ଚାଲିଛି। କେଉଁଠି ଲୋକଙ୍କୁ ପ୍ରଲୋଭନ ଦେଖାଇ ମୋବାଇଲରେ ଓଟିପି ଦେବାକୁ କହି ବ୍ୟାଙ୍କରୁ ଟଙ୍କା ଲୁଟ କରି ଦିଆଯାଉଛି ତ ପୁଣି କେଉଁଠି ଚାକିରୀ ପ୍ରଲୋଭନ ଦେଖାଇ ଲୁଟ କରାଯାଉଛି। ଖାଲି ସେତିକି ନୁହେଁ ଲୋକଙ୍କୁ ଭିଡ଼ିଓ କଲ କରି ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିବା ସହ ଉଲଗ୍ନ ଫଟୋ ଏଡିଟ କରି ପ୍ରଚାରପ୍ରସାରର ଭୟ ଦେଖାଇ ମୋଟା ଅଙ୍କର ଅର୍ଥ ଦାବୀ କରାଯାଉଛି। ଯାହାଦ୍ୱାରା ଅନେକ ବ୍ୟକ୍ତି ଲୋକଲଜ୍ୟାକୁ ଭୟକରି ଆତ୍ମହତ୍ୟା ଭଳି ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି। ସମାଜରେ ଦ୍ରୁତ ଗତିରେ ଏହା ବ୍ୟାପିବାରେ ଲାଗିଛି।ଏଣୁ ଲୋକମାନେ ଆବଶ୍ୟକ ସଚେତନତା ଗ୍ରହଣ କରିବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି।ଯଦି କୌଣସି ବ୍ୟକ୍ତି ସାଇବର ଅପରାଧୀଙ୍କ ଦ୍ୱାରା ଠକେଇ ହୁଅନ୍ତି ତୁରନ୍ତ ୧୯୩୦ ନମ୍ବରରେ କଲ କରି ସୂଚନା ଦେବାକୁ କୁହାଯାଇଛି। କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଗୋଛି ସଂଯୋଜନା ଓ ସୌମ୍ୟରଞ୍ଜନ ରଥ ସ୍ୱାଗତ ଭାଷଣ ଦେଇଥିଲେ।

You might also like