ନୂଆଗାଁରେ ମଣ୍ତଳସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ନୂଆଗାଁ (ନିରଞ୍ଜନ ସାହୁଙ୍କ ରିପୋର୍ଟ) : ନୂଆଗାଁ ବ୍ଲକ ସଦରମହକୁମା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଣ୍ତଳସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆଗାଁ ଶିକ୍ଷା ବିଭାଗ ଅଧିନସ୍ଥ ୧୩ ଗୋଟି କ୍ଲଷ୍ଟରରୁ ଉଭୟ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଭାଗରେ ପ୍ରାୟ ୩୨୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିରେ ବିତର୍କ, ସାଧାରଣ ଜ୍ଞାନ, ବକ୍ତୃତା, ଚିତ୍ରାଙ୍କନ, ପ୍ରବନ୍ଧଲିଖନ, ସୃଜନଶୀଳ ଲିଖନ, ଦେଶାତ୍ମବୋଧକ ସଙ୍ଗୀତ, ହସ୍ତାକ୍ଷର ଲିଖନ,ଚିତ୍ରକଳା,ଶିଳ୍ପକଳା, ନୃତ୍ୟ ଭଳି ୩୨ ଗୋଟି ବିଭାଗରେ ପ୍ରତିଯୋଗିତା କରାଯାଇଥିଲା। ତେବେ ଏହି ପ୍ରତିଯୋଗିତା ଗୁଡିକରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ପ୍ରଥମ ସ୍ଥାନରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଥିବା ସୂଚନା ମିଳିଛି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଜିଲ୍ଲାପରିଷଦ ସଭ୍ୟା, ସରପଂଚ ଓ ସମିତିସଭ୍ୟା ଉପସ୍ଥିତ ରହିଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ସୁରଭି ବାଟ ଦେଖାଏ ବୋଲି କହିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ସଲ, ଅତରିକ୍ତ ଶିକ୍ଷା ଅଧିକାରୀ ଜୋସ୍ନôାରାଣୀ ସେଠୀ, ନୂଆଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୀମସେନ ଦାସ, ମଦନ ମୋହନ ପ୍ରଧାନ, ପ୍ରଶାନ୍ତ ଦାସ, ଲକ୍ଷ୍ମୀଧର ସାହୁ, ବିଶ୍ବନାଥ ସାହୁ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଆରସିସି, ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଶିକ୍ଷା ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ।

You might also like