
ଖଣ୍ଡପଡ଼ା : ବାଲ୍ୟ ବିବାହ ପରି ଘୃଣ୍ୟପ୍ରଥାର ସଂପୂର୍ଣ୍ଣ ବିଲୋପ ନିମନ୍ତେ ରାଜ୍ଯ ସରକାରଙ୍କ ପକ୍ଷରୁ ବିଭିନ୍ନସ୍ତରରେ ଉଦ୍ୟମ ଜାରି ରହିଛି। ସମଗ୍ର ରାଜ୍ୟରେ ବାଲ୍ୟ ବିବାହ ପ୍ରଥା ବନ୍ଦ ନିମନ୍ତେ ୨୦୨୪ ନଭେମ୍ବରରୁ ବାଲ୍ୟ ବିବାହ ମୁକ୍ତ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦୩୦ ସୁଦ୍ଧା ଶିଶୁ ବିବାହ ପ୍ରଥାରେ ପୂର୍ଣ୍ଣଛେଦ ପକାଇବା ନିମନ୍ତେ ସରକାରୀସ୍ତରରେ ସଂକଳ୍ପ ଗ୍ରହଣ କରାଯାଇଛି ।ଏ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଶିଶୁ ବିବାହ ମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି।ଗଣିଆ ଉନ୍ନୟନ କମିଟିର ସହଯୋଗରେ ନୟାଗଡ ଜିଲ୍ଲାର ପ୍ରମୁଖ ମନ୍ଦିର ଗୁଡିକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ମନ୍ଦିରର ପୂଜକ,ଧର୍ମଗୁରୁ, ଲୋକପ୍ରତିନିଧି, ସ୍ବେଛାସେବୀ ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ ।ଭାପୁର ବ୍ଲକ ଅଧିନ ଫତେଗଡ ଶ୍ରୀରାମ ମନ୍ଦିର, କଣ୍ଟିଲୋସ୍ଥିତ ଶ୍ରୀନୀଳମାଧବଙ୍କ ମନ୍ଦିର ପରିସରରେ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ମନ୍ଦିରର ପୂଜକମାନେ ସମୁହ ଶପଥ ପାଠ କରିବା ସହ ବାଲ୍ୟବିବାହ ପ୍ରଥା ବନ୍ଦ କରିବା ନିମନ୍ତେ ସହଯୋଗର ହାତ ବଢାଇବାକୁ ପ୍ରତିଶୃତି ଦେବା ସହ ସାଧାରଣରେ ସଚେତନତା ସୃଷ୍ଟି ନିମନ୍ତେ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମରେ ନୀଳମାଧବଙ୍କ ମନ୍ଦିରର ପୂଜକ ନୀଳମାଧବ ମିଶ୍ର,ଫତେଗଡ ରାମ ମନ୍ଦିରର ପୂଜକ ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଗଣିଆ ଉନ୍ନୟନ କମିଟି ପକ୍ଷରୁ ବିଭୂତି ଭୂଷଣ ବେହେରା,ସର୍ବେଶ୍ଵର ପ୍ରଧାନ,ସ୍ୱର୍ଣ୍ଣଲତା ଜେନା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଗତ ୩ ଦିନ ଧରି ନୟାଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି।
