
ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ସବୁବେଳେ ରାଜନୈତିକ ପାଣିପାଗକୁ ନେଇ ସରଗରମ ଥାଏ। ଏଥି ମଧ୍ୟରେ ଗତ ୨ଦିନ ତଳେ ଦଶପଲ୍ଲା ସ୍ଥିତ ମେଳିଆତୋଟା ନିକଟରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ବିକାଶ ସମାବେଶ ଓ ମିଶ୍ରଣ ପର୍ବ। ଏହି କାର୍ଯ୍ୟକ୍ରମରେ ବହୁ ଯୁବ, ଛାତ୍ର, ମହିଳା ବିଜେପିରେ ସାମିଲ ହୋଇଥିବାବେଳେ ଦଶପଲ୍ଲା ପଶ୍ଚିମାଞ୍ଚଳର କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ଦୃଢ଼ ସଂଗଠକ ଭାବେ ବେଶ ପରିଚିତ ଥିବା ବସନ୍ତ କୁମାର ସାହୁ ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ବସନ୍ତ ଯେ, କି ୨୦୧୨ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ କାର୍ଯ୍ୟ କରିଥିବା ବେଳେ ବିଜୁ ଯୁବ ଜନତା ଦଳର ସଭାପତି ଭାବେ କାର୍ଯ୍ୟରତ ଥିଲେ। ଅପରପାର୍ଶ୍ୱରେ ୨୦୧୭ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦଶପଲ୍ଲା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିବାବେଳେ ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିସାରିଥିଲେ। ଶେଷରେ ବୃତ୍ତଙ୍ଗ ବିସ୍ଥାପିତ ମଞ୍ଚର ସମ୍ପାଦକ ଭାବେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ବାସଚ୍ୟୁତ ମାନଙ୍କ ପାଇଁ ଲଢେଇ କରି ସେମାନଙ୍କ ଦାବୀ କୁ ସରକାରୀ ସ୍ତରରେ ପହଂଞ୍ଚାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ। ଏଥି ମଧ୍ୟରେ ଗତ ୨ଦିନ ତଳେ ଦଶପଲ୍ଲାରେ ବିଜେପି ତରଫରୁ ଆୟୋଜିତ ସଭାରେ ଆନୁଷ୍ଠାନିକ ଭାବେ ନିଜ ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହୋଇଥିବା ଜଣାପଡ଼ିଛି। ବସନ୍ତ କହିଛନ୍ତି ଆଗରୁ ଲୋକମାନଙ୍କ ସୁବିଧା ପାଇଁ ଯେଉଁଭଳି ସଂଗ୍ରାମ ଜାରି ରହିଥିଲା, ଏବେ ମଧ୍ୟ ଜାରି ରହିବ। ଯେଉଁ ଲୋକଙ୍କ ପାଖରେ ଆଜି ସୁଦ୍ଧା କୌଣସି ମୌଳିକ ସୁବିଧା ପହଂଚି ପାରିନାହିଁ। ସେହି ଲୋକମାନେ କିଭଳି ସରକାରଙ୍କ ସମସ୍ତ ଜନହିତକର ସୁବିଧାରେ ସାମିଲ ହୋଇପାରିବେ ସେ ନେଇ ମୁଁ ବିଶେଷ ଧ୍ୟାନ ଦେବି।
