ପ୍ରକୃତିବନ୍ଧୁ ଦୀନବନ୍ଧୁ… ବନ୍ଧୁତ୍ୱ ଗଢିବାରେ ମାହିର

ଭୁବନେଶ୍ୱର : ଖୋର୍ଦ୍ଧାଜିଲ୍ଲା ବାଲିଅନ୍ତା ଅଂଚଳର ପ୍ରସିଦ୍ଧ ତନ୍ତ୍ରପୀଠ ମହାମାୟା ୬୪ ଯୋଗିନୀ ପୀଠ ହୀରାପୁର ଗ୍ରାମର ସୁଦର୍ଶନ ଭୋଇଙ୍କ ପୁଅ ଦୀନବନ୍ଧୁ ଭୋଇ ।ରାସ୍ତାରେ ଯାଉଥିବା ସମୟରେ ପଛରୁ କିଏ ଡାକିଦେଲେ ନ ଦେଖି କହିଦିଅନ୍ତି ଡାକୁଛି କିଏ। ମଣିଷ ହିସାବରେ କହିଲେ ଜୟଦେବ ନିର୍ବାଚନ ମଣ୍ଡଳୀର ଜଣେ ସୁନାପୁଅ ଭାବରେ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ଥରେ ତାଙ୍କସହ ଯିଏ ମିଶିଛି, ସିଏ ଦୀନବନ୍ଧୁ ଙ୍କୁ ସବୁ ସାଙ୍ଗଠନିକ କାର୍ଯ୍ୟ, ସଚେତନତା କାର୍ଯ୍ୟରେ ଖୋଜିଛି। ନାମଟି ସିନା ଦୀନବନ୍ଧୁ କିନ୍ତୁ ସେ ରାତ୍ରିରେ ମଧ୍ୟ ବନ୍ଧୁ। ଅଧରାତିରେ ମଧ୍ୟ କାହାରି ଉପରେ କିଛି ସମସ୍ୟା ଆସିଲେ ଷ୍ଟାଟ ହୋଇଯାଏ ଦୀନବନ୍ଧୁଙ୍କ ହିରୋହୋଣ୍ଡା ବାଇକ।ଭୁଲି ଯାଆନ୍ତି ପରିବାର କୁ ଆଗେଇ ଯାଆନ୍ତି ଅନ୍ୟକୁ ସହଯୋଗର ହାତ ବଢ଼ାଇବାକୁ।

ଖାଲି ସେତିକି ନୁହେଁ ବରଂ ଦୀନବନ୍ଧୁଙ୍କ ଅନନ୍ୟ ପରିଚୟ “ପ୍ରକୃତିବନ୍ଧୁ “। ୧୦ବର୍ଷରୁ ଉର୍ଧ୍ଵ ସମୟ ଧରି ସ୍ଥାନୀୟ ବନବିଭାଗ ସହାୟତାରେ ରାସ୍ତାକଡରେ, ନଦୀପଠାରେ ସରକାରୀ କାର୍ଯ୍ୟାଳୟ, ମନ୍ଦିର ପରିସର ଓ ସ୍କୁଲ ପରିସରରେ ପ୍ରାୟ ୨୦ ହଜାରରୁ ଅଧିକ ବୃକ୍ଷରୋପଣ କରି ରାଜ୍ୟ ସରକାରଙ୍କ ଠାରୁ ୨୦୧୯ମସିହାରେ “ପ୍ରକୃତିବନ୍ଧୁ “ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପାଖାପାଖି ୬୦ଟି ବିଭିନ୍ନ ସାମାଜିକ ଅନୁଷ୍ଠାନ ଦ୍ୱାରା ପରିବେଶର ସୁରକ୍ଷା ସମାଜସେବୀ ଭାବେ ସମ୍ମାନିତ ହୋଇଛନ୍ତି।ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବାର ମନୋଭାବ ନେଇ କିଛି ଯୁବକ ଆଉ ବୁଦ୍ଧିଜୀବୀଙ୍କୁ ସଂଗଠିତ କରି ଏକ ସ୍ବେଛାସେଵୀ ଅନୁଷ୍ଠାନ ଗ୍ରୀନ ଜୟଦେବ ନାମରେ ୨୦୨୧ ମସିହାରେ ଗଠନ କରିଛନ୍ତି।

ସେହି ଅନୁଷ୍ଠାନ ପରିବେଶ କ୍ଷେତ୍ରରେ କାର୍ଯ୍ୟକରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ଦ୍ୱାରା ୨୦୨୪ ମସିହାରେ “ପ୍ରକୃତି ମିତ୍ର” ସମ୍ମାନ ସହିତ ନଗଦ ୨୦ ହଜାର ଟଙ୍କା ଅର୍ଥରାଶି,ମାନପତ୍ର ପାଇ ସମର୍ଦ୍ଧିତ ହୋଇଥିଲେ। ୫ ହଜାର ତାଳଗଛ ରୋପଣ କରି ବାଇଚଢେଇ ଙ୍କ ସୁରକ୍ଷା ଓ ଘଡଘଡ଼ିରୁ ଧନଜୀବନ ରକ୍ଷା ଭଳି ମହତ୍ୱ କାର୍ଯ୍ୟକରି ସମଗ୍ର ଓଡ଼ିଶାରେ ପରିବେଶବିତ ଭାବରେ ପରିଚିତ ହୋଇପାରିଛନ୍ତି।ଲୋକମାନଙ୍କୁ ନିଜେ ଛୋଟଛୋଟ ଚାରା ପ୍ରସ୍ତୁତ କରି ପ୍ରତ୍ୟକ ନବବର୍ଷରେ ବଣ୍ଟନ କରିଥାନ୍ତି । ଅଞ୍ଚଳରେ ଚାଷୀ ଭାଇର ପର୍ବ “ରଜ” କୁ ଜନମାନସରେ ଉଜ୍ଜୀବିତ ରଖିବା ପାଇଁ ଅଞ୍ଚଳର ଯୁବତୀମାନଙ୍କୁ ନେଇ ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତା କରି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ “ରଜରରାଣୀ” ଘୋଷଣା କରି ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରିଥାନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ମଞ୍ଚରେ ସମ୍ମାନୀତ କରିଥାନ୍ତି ।କରୋନା ମହାମାରୀରେ ଅସହାୟ ଲୋକଙ୍କୁ ଖାଦ୍ୟ, ପୋଷାକ, ଅର୍ଥରାଶି ସହଯୋଗ କରିବା ସହିତ ବୃକ୍ଷରୋପଣ ପରିବେଶ ସୁରକ୍ଷା ଦିଗରେ ବିଭିନ୍ନ ସଚେତନତା କାର୍ଯ୍ୟ, ସମାଜରେ ନାରୀମାନଙ୍କ ସୁରକ୍ଷା ଲାଗି ବିଭିନ୍ନ ସଚେତନତା ଶିବିର ଆୟୋଜନ କରିବା ସହିତ ବିଭିନ୍ନ ସମୟେ ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ରକ୍ତଦାନ ଭଳି କାର୍ଯ୍ୟକ୍ରମ କରି ସମଗ୍ର ଓଡ଼ିଶାରେ ବେଶ ପରିଚିତ ହେବା ସହ ଅନ୍ୟର ଦୁଃଖରେ ନିଜକୁ ସାମିଲ କରୁଥିବା ସ୍ନେହୀ ମଣିଷ ଟିଏ ଦୀନବନ୍ଧୁ।ଯଦି କୁହାଯାଏ ବର୍ତମାନ ସେ ୨୦ରୁ ଉର୍ଦ୍ଧ୍ଵ ସ୍ବେଛାସେବୀ ଅନୁଷ୍ଠାନ ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ ରହି ବିଭିନ୍ନ ଜନହିତକର କାର୍ଯ୍ୟ କରୁଛନ୍ତି।ଅସହାୟ ଲୋକର ପରାମର୍ଶଦାତା,ଗାନ୍ଧୀ ବିଚାରଧାରାର ଉଦାର ବ୍ୟକ୍ତିତ୍ୱ ଓ ସେବା ମନୋଭାବ ଜାରି ରଖିଥିବା ଦୀନବନ୍ଧୁ ନିଜର ଏହି ସୁନ୍ଦର ପ୍ରୟାସ ପାଇଁ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

You might also like