ଭାରସାମ୍ୟ ହରାଇ ପଥର ଉପରେ ଚଢ଼ି ରାସ୍ତା ଉପରେ ଓଲଟି ପଡ଼ିଲା ଆମ୍ବୁଲାନ୍ସ

ଦଶପଲ୍ଲା : ବୁଧବାର ବିଳମ୍ବିତ ରାତି ପ୍ରାୟ ୧୨:୩୦ ସମୟରେ ଭୁବନେଶ୍ୱର ରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା (OD05BU9097 )ନମ୍ବର ଆମ୍ବୁଲାନ୍ସ ଭ୍ୟାନ ଦଶପଲ୍ଲା ଥାନା ଟାକରା ସ୍ଥିତ ଶନିଶ୍ଚର ମନ୍ଦିର ନିକଟରେ ଭାରସାମ୍ୟ ହରାଇ ପଥର ଉପରେ ଚଢିଯାଇ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଉପରେ ଓଲଟି ପଡ଼ିଥିଲା। ତୁରନ୍ତ ଘଟଣା ସ୍ଥଳରେ କିଛି ପଥଚାରୀ ପହଂଚିବା ସହିତ ଡ୍ରାଇଭର ଓ ସେଥିରେ ଯାଉଥିବା ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଡାହମାଲ ଗାଁର ଚରଣ ଭୋଇ ଓ ତାଙ୍କ ପୁଅ ନିରଞ୍ଜନ ଭୋଇ, ପ୍ରଶାନ୍ତ ଭୋଇ ଙ୍କୁ ଗାଡ଼ି ଭିତରୁ କାଢ଼ି ଆମ୍ବୁଲାନ୍ସ କୁ ଉଠାଇ ଦେଇଥିଲେ। ସୂଚନା ଅନୁଯାୟୀ ନିରଞ୍ଜନଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ବାପା ଚରଣ ଓ ଭାଇ ପ୍ରଶାନ୍ତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ରହି ଚିକିତ୍ସା କରୁଥିଲେ। ବୁଧବାର ମେଡିକାଲରୁ ଡ଼ିସଚାର୍ଜ ହେବାରୁ ଏକ ଆମ୍ବୁଲାନ୍ସ ଭଡ଼ାକରି ଘରକୁ ଯାଉଥିଲେ। ଦୁର୍ଘଟଣା ପରେ ଜଣାପଡିଥିଲା କି ଆମ୍ବୁଲାନ୍ସ ଚଳାଉଥିବା ଡ୍ରାଇଭର ଜଣକ ପ୍ରଚୁର ମାତ୍ରାରେ ମଦ୍ୟପାନ କରିଥିଲେ। ଯାହା ଫଳରେ ଆମ୍ବୁଲାନ୍ସ ଗାଡ଼ିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ପରେ ନୟାଗଡ଼ ରୁ ଆଉ ଗୋଟିଏ ଆମ୍ବୁଲାନ୍ସ ଆସି ଚରଣ ଓ ତାଙ୍କ ପୁଅକୁ ବଲାଙ୍ଗୀର ନେଇଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାରେ କାହାର ବିଶେଷ କିଛି କ୍ଷତି ହୋଇନଥିବାବେଳେ ସ୍ଥାନିୟ ଲୋକ ଦୁର୍ଘଟଣା ସ୍ଥଳରେ ପହଂଚି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଜରୁରୀ କାଳୀନ ଗାଡ଼ି (ଆମ୍ବୁଲାନ୍ସ ) ଚଳାଉଥିବା ବେଳେ କେବେ ବି ମଦ୍ୟପାନ ନ କରିବା ପାଇଁ କହିଥିଲେ। ଅନ୍ୟପକ୍ଷେ ଟାକରା ମେଡିକାଲ ସାମ୍ନା, ମନ୍ଦିରକୁ ଯିବା ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ହେତୁ ସେଠାରେ ୨ଟି ସ୍ପିଡ଼ବ୍ରେକର /ହମ୍ପସ ନିର୍ମାଣ ପାଇଁ ଦାବୀ କରିଛନ୍ତି।

You might also like