
ଓଡ଼ିଆ ଭାଷା – ସାହିତ୍ୟ ସଂସ୍କୃତି କଳାକାର ମହାସଂଘର ବୈଠକ
ଦଶପଲ୍ଲା : ଦଶପଲ୍ଲା ସ୍ଥିତ ଶିକ୍ଷକଭବନ ପରିସରରେ ବୁଧବାର ଦିନ ଓଡ଼ିଆ ଭାଷା – ସାହିତ୍ୟ, ସଂସ୍କୃତି କଳାକାର ମହାସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ବନମାଳୀ ରଣା ଓ ସଂଯୋଜକ କିଶୋର ଚନ୍ଦ୍ର ଦଳବେହେରାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନବ କିଶୋର ପ୍ରଧାନ, ପ୍ରଶାନ୍ତ ସାହୁ, ରାଜ କିଶୋର ପ୍ରଧାନ,ଭୀମସେନ ସାହୁ,ବିଜୟ କେତନ ଶତପଥୀ,ବୃନ୍ଦାବନ ପ୍ରଧାନ,ଶ୍ରୀଧର ମିଶ୍ର,ବିମ୍ବାଧର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ କଳାକାର ଯୋଗଦେଇଥିଲେ।ବିଶେଷକରି କଳାକାର ମାନେ ନିଜନିଜ ଜୀବନର ଜୀବିକା ଓ ଅନୁଭୂତିକୁ ନେଇ ଆଲୋଚନା ହୋଇଥିଲା।

କଳା ଓ ସଂସ୍କୃତିକୁ ବଜାୟ ରଖିବାକୁ ହେଲେ ଗାଁ ଗହଳିରେ ଥିବା ଭାଗବତ ଟୁଙ୍ଗୀ, ପାଲା, ନାମଘର, ପାଠାଗାର ଓ ଆଖଡ଼ାଘରର ପୁନଃରୁଦ୍ଧାର ସହ ବିକାଶ କରିବାର ଆବଶ୍ୟକତା ବୋଲି ମତ ପ୍ରକାଶ ପାଇଥିଲା। ସେହିଭଳି କଳାକାର ମାନଙ୍କ ପାଇଁ ପୋଷାକ, ବାଦ୍ୟଯନ୍ତ୍ର ଆଦି ଯୋଗାଇଦେବା ସହ କଳାକାରଙ୍କ ଜୀବନ ଜୀବିକା ପାଇଁ ଭର୍ତ୍ତା ବୃଦ୍ଧି ନିମନ୍ତେ ସରକାର ଦୃଷ୍ଟି ଦେବାକୁ ଆଜିର ବୈଠକରେ ଆଲୋଚନା ହେବା ସହ ଦାବୀ ଉପସ୍ଥାପନା କରାଯାଇଛି। ଉକ୍ତ ବୈଠକରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ସଭାପତି ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ କଳାକାର ମାନଙ୍କୁ ସ୍ୱାଗତ କରିଥିଲେ। ପରିଶେଷରେ ସଭାପତି ଶ୍ରୀ ରଣା ଧନ୍ୟବାଦ ଅର୍ପଣ କରିଥିବା ଶୁଣିବାକୁ ମିଳିଥିଲା।
