
ଦଶପଲ୍ଲା:ପରିଶ୍ରମ ଓ ବୁଦ୍ଧିବଳରେ ନିଜ ଗୋଡ଼ରେ ଛିଡ଼ାହେବା ସହିତ ସ୍ଥାନୀୟ କିଛି ଲୋକଙ୍କୁ ସ୍ୱାବଲମ୍ବୀ କରି ପାରିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଟାକରା ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋପାଳପୁର ଗାଁର ଅନ୍ତର୍ଯ୍ୟାମୀ ପରିଡ଼ା ଙ୍କ ପୁଅ ମାନସ ପରିଡ଼ା।ପିଲାଦିନୁ ଚାଷ ପ୍ରତି ଥିଲା ଅହେତୁକ ଦୁର୍ବଳତା ତେଣୁ ସ୍କୁଲ ପାଠ ସାରିବା ପରେ ଚାଷ କାର୍ଯ୍ୟରେ ନିଜକୁ ସକ୍ରିୟ କରିଥିଲେ।ଉଭୟ ଜୈବିକ ଓ ରାସାୟନିକ ପଦ୍ଧତିରେ ବିଭିନ୍ନ ପନିପରିବା ଚାଷ କରି ଭଲ ୨ ପଇସା ରୋଜଗାର କରିବା ସହିତ ଯୁବପିଢିଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ମାନସ ।ଗାଁ ନିକଟସ୍ଥ ନଦୀ ପଠାରେ ମାନସ ଲଗାଇଛନ୍ତି ବିଭିନ୍ନ ପନିପରିବା ଯେମିତିକି ବାଇଗଣ, ପୋଟଳ, କଲରା, କୋବି, ଲଙ୍କା, ଟମାଟ ଭଳି ବିଭିନ୍ନ ପ୍ରକାର ପରିବା ଫସଲ।ଏ ସବୁ ଚାଷ କରୁଛନ୍ତି ଟାକରା ଗ୍ରାମ ପଂଚାୟତ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଯୁବଚାଷୀ ମାନସ ପରିଡ଼ା।ପଞ୍ଚାୟତ ହାଇସ୍କୁଲ ଘୋଳାହାଣ୍ଡି ରୁ ୨୦୦୨-୨୦୦୩ ମସିହାରେ ଦଶମ ସାରିବା ପରେ ଚାକରି ପଛରେ ନ ଗୋଡ଼ାଇ ଚାଷ କାର୍ଯ୍ୟକୁ ନିଜର ଜୀବିକା ଭାବେ ବାଛି ନେଇଥିଲେ ମାନସ।ଏବଂ ଅଂଚଳର କିଛି ମହିଳା ଓ ପୁରୁଷ ଲୋକଙ୍କୁ ଦିନ ମଜୁରିଆ ଭାବେ ନିଜ ଚାଷକାର୍ଯ୍ୟରେ ନିୟୋଜିତ କରାଇ ସେମାନଙ୍କୁ ମଧ୍ୟ ସାବଲମ୍ବି କରିପାରିଛନ୍ତି।ଅନେକ ସମୟରେ ବହୁ ପରିବା ବେପାରୀ ମାନସଙ୍କ ଚାଷ ଜମି ନିକଟରୁ ପରିବା ସଂଗ୍ରହ କରି ବିଭିନ୍ନ ସହରକୁ ପଠାଉଥିବାବେଳେ ମାନସ ନିଜେ ମଧ୍ୟ ନିକଟସ୍ଥ ଦଶପଲ୍ଲା ବଜାରରେ ଥିବା ପରିବା ହାଟ ଓ ଦୋକାନକୁ ପରିବା ଯୋଗାଇଦେଇଥାନ୍ତି।ଦଶପଲ୍ଲା ବ୍ଲକ ଟାକରା ଅଂଚଳର ମାନସ ଙ୍କ ସଫଳତାର କାହାଣୀ ଚାଷ ପ୍ରତି ବିମୁଖ ହେଉଥିବା ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛି।ଖାଲି ସେତିକିରେ ମାନସଙ୍କ କାର୍ଯ୍ୟ ସୀମିତ ନାହିଁ ବରଂ ସ୍ଥାନୀୟ ଅଂଚଳରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଦୀର୍ଘବର୍ଷ ଧରି ଅଂଶ ଗ୍ରହଣ କରି ନିଜର ନିଖୁଣ ଅଭିନୟ ମାଧ୍ୟମରେ ମଧ୍ୟ ବେଶ ଲୋକପ୍ରିୟତା ସାଉଁଟି ପାରିଛନ୍ତି ମାନସ ।
