ପ୍ରାଥମିକ ଶିକ୍ଷକ ସଂଘ ପରିସରରେ ଗୁରୁପୂଜନ କାର୍ଯ୍ୟକ୍ରମ

ଗଣିଆ – ଗଣିଆ ଶିକ୍ଷକ ଭବନ ପରିସରରେ ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତଉତ୍ସବରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟ, ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ଭାପୁର ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା, ସମ୍ପାଦକ ସୁରେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥ ଏବଂ ଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅତିଥିମାନେ ଉପସ୍ଥିତ ଥିବା ୧୫୦ରୁ ଅଧିକ ଶିକ୍ଷକ ଏବଂ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଫୁଲ ଚନ୍ଦନ, ଉପଢ଼ୌକନ ଏବଂ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପସ୍ଥିତ ଅବସରପ୍ରାପ୍ତ ଶିକ୍ଷକ ମାନେ ନିଜନିଜର ଅନୁଭୁତି ବର୍ଣ୍ଣନା କରିଥିଲେ । ଶିକ୍ଷକ ମାନେ ସଦାସର୍ବଦା ନିଜର ପଦମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମାଜକୁ ସତମାର୍ଗରେ ପରିଚାଳନା କରିବାକୁ ଗୁରୁ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ବୟସର ଅପରାହ୍ନରେ ପହଞ୍ଚିଥିଲେ ମଧ୍ୟ ଗୁରୁମାନେ ଆଜି ଏଠାରେ ଉପସ୍ଥିତ ଥିବାରୁ ବିଧାୟକ ଶ୍ରୀ ବେହେରା କୃତଜ୍ଞତା ଜ୍ଞାପନ କରିଥିଲେ । ଗୁରୁ ମାନଙ୍କର ଆସନ ସଦାସର୍ବଦା ଉଚ୍ଚରେ ବୋଲି ସେ ପ୍ରକାଶ କରିଥିଲେ । ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବିଧାୟକ ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ଆୟୋଜକଙ୍କୁ ସାଧୁବାଦ ଜଣାଇଥିଲେ । ଗଣିଆରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ସଂଘର ସମ୍ପାଦକ ସୁରେଶ କୁମାର ବେହେରା ପରିଚାଳନା କରିଥିବା ବେଳେ ଶିକ୍ଷକ ବାମନ ଚରଣ ବାରିକି ମଞ୍ଚ ପରିଚାଳନା କରିଥିଲେ ।

You might also like