
ଦଶପଲ୍ଲା : ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ପଂଚାୟତର ବାଲିସାହି ଗ୍ରାମର ଶତୃଘନ ବରାଳ ଓ ପ୍ରମିଳା ବରାଳଙ୍କ ପୁଅ ସଞ୍ଜୟ ବରାଳ।ସେ ୨୦୦୬ ମସିହାରେ ୮ନଂ ବଏଜ ହାଇସ୍କୁଲ ଭୁବନେଶ୍ୱରରୁ ଦଶମ ଶ୍ରେଣୀରେ ଉତୀର୍ଣ୍ଣ ହେବାପରେ ପି. ଜେ ଗ୍ରୁପ ଅଫ ଇନ୍ଷ୍ଟିଚ୍ୟୁଟ ଭୁବନେଶ୍ୱରରୁ ୨୦୦୮ ମସିହାରେ +୨ ଶେଷ କରିଥିଲେ। ପରେ ଏମ.ଆଇଟି.ଏସ ରେ ବିଶିଏ, ୟୁ. ଏସ. ବିଏମ ଭୁବନେଶ୍ୱରରେ ଏମସିଏ ପାଠପଢ଼ା ଶେଷକରି ଏଲ.ଏନଟିରେ ଷ୍ଟୋର ମ୍ୟାନେଜର ଭାବରେ କାର୍ଯ୍ୟ କରୁଥିଲେ। ଠିକ ଏତିକି ବେଳେ ନିଜ ଗାଁ ମଧ୍ୟଖଣ୍ଡର ରାସମଞ୍ଚରୁ ଡ୍ରାମା କରିବା ଆରମ୍ଭ କରିଦେଇଥିଲେ। ସଞ୍ଜୟଙ୍କ ଅଭିନୟ ଏତେ ଜୀବନ୍ତ ଲାଗୁଥିଲା ଯେ, ଶେଷରେ ନାଟକରେ ନିର୍ଦେଶନା ଦେଉଥିବା ନିର୍ଦ୍ଧେଶକ ଚିତ ରଞ୍ଜନ ମିଶ୍ର ଓ ବନ୍ଧୁ ବାପି, ବୁଢ଼ା, ବାବୁ, ଧୋବେଇ ବବିଭାଇ ସଞ୍ଜୟଙ୍କୁ ଯାତ୍ରାକୁ ଯିବା ପାଇଁ ବହୁ ଉତ୍ସାହ ଯୋଗେଇ ଦେଇଥିଲେ। ଶେଷରେ ସଞ୍ଜୟ ମଧ୍ୟ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ, ଭଞ୍ଜ କଳାମଣ୍ଡପରେ ଥ୍ରୀଏଟର କରିବା ଆରମ୍ଭ କରିଦେଇଥିଲେ। ପରିଶେଷରେ ୨୦୧୭ ମସିହାରେ ଯାତ୍ରା ଅନୁଷ୍ଠାନ ସ୍ବର୍ଣ୍ଣ ମହଲରେ ପ୍ରଥମ କରି ପାଦଦେଇଥିଲେ ସଞ୍ଜୟ।

ଏବଂ ସେହିଦିନ ଠାରୁ ସେ ଆଉ ପଛକୁ ନଫେରି ପରେ ଦୁର୍ଗାଶ୍ରୀ ଗଣନାଟ୍ୟରେ ୩ବର୍ଷ, କଳିଙ୍ଗ ଗଣନାଟ୍ୟରେ ୨ବର୍ଷ, ଗୌରୀ ଗଣନାଟ୍ୟରେ ୧ବର୍ଷ ରହି ନିଜର ନିଖୁଣ ଅଭିନୟ ମାଧ୍ୟମରେ ଓଡ଼ିଶାର ଦର୍ଶକଙ୍କୁ ମନୋରଞ୍ଜନରେ ବିମୋହିତ କରିବା ସହିତ ନିଜର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଥିଲେ। ଚଳିତ ଯାତ୍ରାଋତୁରେ ସଞ୍ଜୟ ଯାତ୍ରା ସ୍ବପ୍ନମହଲରେ ନିଜର ଅଭିନୟ ଜାରି ରଖିଥିବାବେଳେ ସ୍ବର୍ଣ୍ଣମହଲ ଗଣନାଟ୍ୟର ନାଟକ ପ୍ରେମରେ ଲାଗିଛି ନିଆଁ, ଦୁର୍ଗାଶ୍ରୀ ଗଣନାଟ୍ୟର ମଣିଷ ଚିନ୍ହିବା ବାକି ରହିଛି, କଳିଙ୍ଗ ଗଣନାଟ୍ୟର ନାଟକ କାନ୍ଦେନାରେ ବାୟା ମନ, ଗୌରୀ ଗଣନାଟ୍ୟର ଏଇ ଫଗୁଣରେ ବାଜିବ ବାଜାରେ ମିଳିଥିବା ଚରିତ୍ରରେ ଅଭିନୟ କରି ତାଙ୍କୁ ସବୁଠୁ ଆତ୍ମସନ୍ତୁଷ୍ଟି ଲାଗିଥିବା କହିଛନ୍ତି।

ବର୍ତମାନ ସଞ୍ଜୟ ସ୍ବପ୍ନମହଲରେ ଥିବାବେଳେ ସ୍ବପ୍ନମହଲର ୩ଟି ନାଟକରେ ସେ ଅଭିନୟ କରୁଛନ୍ତି। “ବୋଉ ” ନାଟକରେ ସେ ଜଣେ ଡାକ୍ତର ଚରିତ୍ରରେ ଅଭିନୟ କରୁଥିବାବେଳେ ନାଟକଟି ସମ୍ପୂର୍ଣ୍ଣ ଭିନ୍ନଧରଣର ବୋଲି କହିଛନ୍ତି। କାରଣ “ବୋଉ ” ନାଟକଟି ସମ୍ପୂର୍ଣ୍ଣ ଭାବରେ ମା’ ପୁଅଙ୍କ ବନ୍ଧନ ଉପରେ ଆଧାରିତ ବୋଲି କହିଛନ୍ତି ସଞ୍ଜୟ ।ତେବେ ଦଶପଲ୍ଲା ଭଳି ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଜଣେ ଯୁବକ ଯାଇ ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ଖୁବକମ ଦିନ ମଧ୍ୟରେ ଯାତ୍ରାଜଗତରେ ଅଭିନୟ କରି ନିଜର ଗୋଟେ ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ସହିତ ପ୍ରଶଂସା ସାଉଁଟି ପାରିଛନ୍ତି।ଅନ୍ୟପକ୍ଷେ ବର୍ତମାନ ସଞ୍ଜୟ ଙ୍କ ପରିବାର ତଥା ବାପା, ମା ଓ ସ୍ତ୍ରୀ ଶାନ୍ତିଲତା ବରାଳ ଓ କୁନିଝିଅ ଶ୍ରେୟଂଶି ପ୍ରିୟଦର୍ଶିନୀ ଭୁବନେଶ୍ୱରରେ ସ୍ଥାୟୀ ଭାବରେ ରହୁଥିବା ବେଳେ ସଞ୍ଜୟ ଯାତ୍ରାରେ ନିଜର ନିଖୁଣ ଅଭିନୟ ଜାରି ରଖିଛନ୍ତି।
