ଶରଣକୁଳ ଥାନା ତରଫରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ

ଓଡ଼ଗାଁ (ମଙ୍ଗରାଜ ବେହେରାଙ୍କ ରିପୋର୍ଟ) : ଆଜି ଶରଣକୁଳ ଥାନା ଓ ଶରଣକୁଳ ମହାବିଦ୍ୟାଳୟର ମିଳିତଭାବେ ଏକ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଶୁକ୍ରବାର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶରଣକୁଳ ମହାବିଦ୍ୟାଳୟ, ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଛାତ୍ରମାନେ ଏକ ସଚେତନତା ରାଲିରେ ବାହାରି ଶରଣକୁଳର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଏହା ସହ ଜିଲା ଆରକ୍ଷୀ ପ୍ରଶାସନ ତରଫରୁ ଏକ ସଚେତନତା ରଥ ଶରଣକୁଳ ଅଞ୍ଚଳ ପରିକ୍ରମା କରିଥିଲା। ପରେ ସଭାରେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉପସ୍ଥିତ ଅତିଥି, ଅଧ୍ୟାପିକା ଅଧ୍ୟାପକ, ଛାତ୍ରୀଛାତ୍ର ସମବେତ ଭାବେ ବନ୍ଦେ ମାତରମ ଗାନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଆୟୋଜିତ ସଭାରେ ସଭାପତି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଯୋଗଦେଇ ସାଇବର ସୁରକ୍ଷା ସଚେତ୍ତନତା ବାର୍ତ୍ତା ଦେବାସହ ସମସ୍ତଙ୍କୁ ସାଇବର ସୁରକ୍ଷା ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟଅତିଥି ଭାବେ ପୋଲିସ ମୁଖ୍ୟାଳୟ ଉପ ଆରକ୍ଷୀ ଅଧିକ୍ଷକ ସୁକାନ୍ତ କୁମାର ପାତ୍ର ଏବଂ ମୁଖ୍ୟବକ୍ତା ଭାବେ ଶରଣକୁଳ ଉପଖଣ୍ଡ ଅଧିକାରୀ ଦୀପ୍ତିକାନ୍ତ ପ୍ରଧାନ ଏବଂ ସମ୍ମାନିତ ଅତିଥିଭାବେ ଶରଣକୁଳ ମହାବିଦ୍ୟାଳୟ ଅଧକ୍ଷ ମହେଶ୍ୱର ମହାପାତ୍ର ଓ ଶରଣକୁଳ ଷ୍ଟେଟ ବ୍ୟାଙ୍କ ସହ ପ୍ରବନ୍ଧକ ଜୟଦେବ ରଥ ଯୋଗଦେଇ ସାଇବର ସୁରକ୍ଷା ସଚେତନତା ଉପରେ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ସାବଧାନତାର ସହ ମୋବାଇଲ ଓ ଲାପଟପ ବ୍ୟବହାର କରିବା, ଓଟିପି ତଥା ବ୍ୟକ୍ତିଗତ ତଥ୍ୟ କାହାରିକୁ ନଦେବା, କୌଣସି ଅଜଣା ଲିଙ୍କ ବା କଲକୁ କ୍ଲିକ ନ କରିବା ପାଇଁ ଉଚିତ ପରାମର୍ଶ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ଃ ବ୍ୟୋମକେଶ ରଥ ବେଦ ମନ୍ତ୍ର ପଠନ, ସଭା ପରିଚାଳନା, ଧନ୍ୟବାଦ ଅର୍ପଣ ଓ ଶାନ୍ତି ପାଠ କରିଥିଲେ। ନୟାଗଡ ରକଷ୍ଟାର ଡ୍ୟାନସ ଗ୍ରୁପ ପ୍ରାରମ୍ଭିକ ସ୍ବାଗତଂ ସଂଗୀତ ଏବଂ ପରିଶେଷରେ କ୍ଷୁଦ୍ର ନାଟକ ପରିବେଷଣ ମାଧ୍ୟମରେ ସୁନ୍ଦର ଭାବେ ସାଇବର ସଚେତନତା ସମ୍ବନ୍ଧୀୟ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲେ। ଶରଣକୁଳ ଥାନା ଅଧିକାରୀ ସୁଜିତ କୁମାର ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ମହାବିଦ୍ୟାଳୟ ଓ ଥାନାର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

You might also like