ବାହାଡାଝୋଲା ଫାଣ୍ଡିଅଧିକାରୀଙ୍କ ମହାନତା,ସୋସିଆଲ ମିଡ଼ିଆରେ ଚର୍ଚ୍ଚା

ବାହାଡ଼ାଝୋଲା (ନିରଞ୍ଜନ ସାହୁଙ୍କ ରିପୋର୍ଟ) :ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧିନରେ ଥିବା ବାହାଡ଼ାଝୋଲା ଫାଣ୍ଡି ଅଧିକାରୀଙ୍କ କାର୍ଯ୍ୟକୁ ନେଇ ଏବେ ସାଧାରଣରେ ହେଉ କି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।ସୂଚନାଥାଉକି,ଆଜି ସକାଳ ସମୟରେ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ମହମ୍ମଦ ଜାଫୁରୁଲା ଓ କର୍ମଚାରୀ ପେଟ୍ରୋଲିଂ ସାରି ଫେରୁଥିବା ସମୟରେ ବେରୁଆବାରୀ ପଂଚାୟତର ବନ୍ଧାମୁହିଁ ଗ୍ରାମ ନିକଟ ଏକ ବସଷ୍ଟାଣ୍ଡ ପାଖରେ ଏକ (୮୫) ବର୍ଷ ବୟସର ବୃଦ୍ଧା ଶୀତରେ ଥରୁଥିବା ଦେଖି ତୁରନ୍ତ ଗାଡ଼ିରେ ବସାଇ ଓଡ଼ଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆବଶ୍ୟକ ପଡିବାରୁ ନିଜେ ଫାଣ୍ଡି ଅଧିକାରୀ ବୃଦ୍ଧାଙ୍କ ପାଦରେ ସୋରିଷତେଲ ଘଷିବା ସହିତ ନିଆଁ ସେକ ଦେଉଥିଲେ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବାବେଳେ ଚର୍ଚ୍ଚା ଜୋର ଧରିଛି। ପରେ ପରିଚୟ ବାହାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଖବରନେବାରୁ ଜଣାପଡିଲା ଯେ, ବାହାଡ଼ାଝୋଲା ପଂଚାୟତର ମାଣିକପାଟଣା ସାହିର ସାବି ସାହୁ (୮୫) ସ୍ୱାମୀ ଗୋବର୍ଦ୍ଧନ ସାହୁ। ଭୁଲ୍ ବଶତଃ ରାତିରେ ଉଠି ଘରୁ ଚାଲିଯାଇଥିଲେ। ଖବରପାଇ ତାଙ୍କର ଝିଅ କୁମାରୀ ସାହୁ ପହଂଚି ମା’ଙ୍କୁ ଘରକୁ ଆଣିଥିଲେ।କିନ୍ତୁ ଫାଣ୍ଡି ଅଧିକାରୀଙ୍କ ଏହିଭଳି କାର୍ଯ୍ୟକୁ ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ସାଧାରଣରେ ଚର୍ଚ୍ଚାହେବା ସହ ପ୍ରଶଂସା କରାଯାଉଛି।

You might also like