
ଓଡଗାଁ ( ମଙ୍ଗରାଜ ବେହେରା ଙ୍କ ରିପୋର୍ଟ ) : ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଆନୁକୂଲ୍ୟରେ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ୩ୟ ଦିବସ ମଙ୍ଗଳବାର ଗ୍ରୁପ ବି’ର ଖେଳରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ଼ ୧-୦ ଗୋଲରେ ଟାରଜେନ କ୍ଲବ, କଟକକୁ ହରାଇ ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧ ଖେଳରେ ଉଭୟ ଦଳ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ୨୩ତମ ମିନିଟରେ ବରଗଡ଼ ଦଳର ୨୦ ନଂ ଜର୍ସି ଖେଳାଳି ଭରତ ମୁଣ୍ଡା ଏକ ଗୋଲ ସ୍କୋର କରି ଦଳକୁ ୧- ୦ ରେ ଅଗ୍ରଣୀ କରିଥିଲେ। ଦ୍ବିତୀୟାର୍ଦ୍ଧ ଖେଳର କଟକ ଦଳର ଖେଳାଳି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ ସୁଦ୍ଧା ଗୋଲ ପରିଶୋଧ କରି ପାରିନଥିଲେ ଫଳରେ ଆଜିର ଖେଳରେ ୟୁନାଇଟେଡ ସ୍ପୋର୍ଟ୍ସ କ୍ଲବ, ବରଗଡ ୧-୦ରେ ବିଜୟ ଲାଭକରି ସେମି ଫାଇନାଲ ପ୍ରବେଶ କରିଛି। ପରିଶେଷରେ ମୁଖ୍ୟ ଅତିଥି ଆଜିର ସର୍ବଶ୍ରେଷ୍ଠ ଖେଳାଳି ଭାବେ ବରଗଡ଼ ଦଳର ଭରତ ମୁଣ୍ଡାଙ୍କୁ ଏକ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ। ମୁଖ୍ୟ ରେଫେରି ଭାବେ ଜ୍ୟୋତିରଞ୍ଜନ ସ୍ୱାଇଁ, ଲାଇନରେ ପ୍ରସନ୍ନ ନାୟକ ଓ ପ୍ରିୟବ୍ରତ ବାରିକ ସହାୟତା କରିଥିବା ବେଳ ୪ର୍ଥ ରେଫେରୀ ଭାବେ ଜଗନ୍ନାଥ ପରିଡା ଖେଳକୁ ପରିଚାଳନା କରିଥିଲେ। ବୁଧବାରର ଖେଳ ସ୍ପୋର୍ଟ୍ସ ହଷ୍ଟେଲ, ନୟାଗଡ ବନାମ ଏମ.କେ.ଏସ.ସି., ବକ୍ସର, ବିହାର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ସୂଚନା ଦେଇଛନ୍ତି।
