ଖରିଫ ଧାନ ଖର୍ଦ୍ଧି ପାଇଁ ଖୋଲିବ ୩୮ଟି ଆଦର୍ଶ ମଣ୍ଡି

ଭୁବନେଶ୍ୱର : ଚଳିତବର୍ଷ ଖରିଫ ଧାନ କିଣିବା ପାଇଁ ରାଜ୍ୟରେ ୩୮ଟି ଆଦର୍ଶ ଧାନମଣ୍ଡି ଖୋଲିବ।ଏହି ମଣ୍ଡିଗୁଡିକରେ ଚାଷୀମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇଦିଆଯିବ ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ କୁମାର ବଳସାମନ୍ତ କହିଥିବା ଜଣାପଡ଼ିଛି।ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସବିଶେଷ୍ୟ ପ୍ରସ୍ତାବ ଦିଆଯାଇଛି।ଏହି ପ୍ରସ୍ତାବ ଅନୁଯାୟୀ ଆଦର୍ଶ ଧାନମଣ୍ଡିରେ ଚାଷୀ ମାନଙ୍କ ରହଣି ସମୟରେ ଶୌଚାଳୟ, ଖାଦ୍ୟପେୟ ସୁବିଧା,ମହିଳା ଏସଏଚଜିଙ୍କର ପ୍ରଦର୍ଶନୀ ମଣ୍ଡପ ଇତ୍ୟାଦି ବ୍ୟବସ୍ଥା କରାଯିବ।ଆଦର୍ଶ ଧାନମଣ୍ଡି ପାଇଁ ଆବଶ୍ୟକ ଜାଗା ସମସ୍ୟା ରହିଛି।ଜମିକୁ ନେଇ ମଣ୍ଡିଗୁଡି଼କର କଳେବର ହେବ ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ ଗଣମାଧ୍ୟମକୁ କହିଛନ୍ତି। ପ୍ରକାଶଥାଉକି, ଚଳିତ ଖରିଫଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ଗତମାସ ୧୯ ତାରିଖରୁ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚାଷୀମାନେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକସ,ଲ୍ୟାମ୍ପସ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ପାଣିପଂଚାୟତରେ ଆଗୁଆ ପଞ୍ଜିକରଣ କରୁଛନ୍ତି।ଆଜି ସୁଦ୍ଧା ୩ଲକ୍ଷ୍ୟ ୯୫ହଜାର ୯୪୯ ଜଣ ଚାଷୀ ପଞ୍ଜିକରଣ କରିଥିବାବେଳେ ଗତବର୍ଷ ଆଜିଦିନ ସୁଦ୍ଧା ୩ଲକ୍ଷ୍ୟ ୮୭ହଜାର ୧୦୪ ଜଣ ଚାଷୀ ପଞ୍ଜିକରଣ କରିଥିଲେ ।ଚଳିତ ବର୍ଷ ୫ଦିନ ବିଳମ୍ବରେ ପଞ୍ଜିକରଣ ପକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି।ସମସ୍ତ ପଞ୍ଜିକୃତ ଚାଷୀମାନଙ୍କ ବ୍ୟାଙ୍କଆକାଉଣ୍ଟ ସହ ଇ-କେୱାଇସ ବାଧ୍ୟତା ମୂଳକ ଭାବରେ କରାଯାଇଛି।ଯୋଗ୍ୟଚାଷୀ ମାନଙ୍କୁ ଧାନକିଣା ପ୍ରକ୍ରିୟାରେ ସାମିଲ କରିବା ଏବଂ ନକଲି ଚାଷୀ ମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦେବା ଉଦ୍ଧେଶ୍ୟରେ ଚଳିତବର୍ଷ ଆଧାରଭିତ୍ତିକ ଇ-କେୱାଇସ କରାଯାଇଛି।ଏତତ ବ୍ୟତୀତ ଭାଗଚାଷୀ ଏବଂ ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ଉପକୃତ ହୋଇପାରିବେ।ଚାଷୀଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରେକର୍ଡଧାରୀ ତଥା ଜମିମାଲିକଙ୍କ ସହମତିପତ୍ର ମଧ୍ୟ ସଂଲଗ୍ନ କରାଯାଉଛି।ଏହାଦ୍ୱାରା ଧାନ ସଂଗ୍ରହ ବେଳେ କୌଣସି ସ୍ତରରେ ଯୋଗ୍ୟଚାଷୀ ସମସ୍ୟାର ସମ୍ମୁଖୀନ ହେବେନାହିଁ।ଧାନ ବିକ୍ରୟ ଉଦ୍ଧେଶ୍ୟରେ ଚାଷୀ ଅନୁପଯୋଗୀ ଜମି କିମ୍ବା ଅଣଧାନ ଚାଷ ହୋଇଥିବା ଜମିକୁ ପଞ୍ଜିକରଣ ପ୍ରକ୍ରିୟାରୁ ବାଦ ଦେବାପାଇଁ ସମିତି ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି।ତ୍ରୁଟିଶୂନ୍ୟ ଚାଷୀ ତାଲିକା ପ୍ରସ୍ତୁତ କରାଯାଇ ଯୋଗ୍ୟ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ। କୌଣସି ସମସ୍ୟା ଥିଲେ ଚାଷୀମାନେ ଦେୟମୁକ୍ତ ନମ୍ବର ୧୯୬୭ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

You might also like